ସାଇନା-କାଶ୍ୟପ ବିଚ୍ଛେଦସାଇନା-କାଶ୍ୟପ ବିଚ୍ଛେଦ

ହାଇଦ୍ରାବାଦ: ଭାରତୀୟ କ୍ରୀଡ଼ା‌ ଜଗତର ଚର୍ଚ୍ଚିତ ଦମ୍ପତି ଅଲିମ୍ପିକ୍ସ ପଦକ ବିଜୟିନୀ ବ୍ୟାଡ୍‌ମିଣ୍ଟନ୍ ତାରକା ସାଇନା ନେହୱାଲ ଏବଂ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ପୁରୁପଲ୍ଲୀ କାଶ୍ୟପଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି। ଏହି ଦୁଇ ତାରକାଙ୍କ ଅଲଗା ହେବା ଖବର ଭାରତୀୟ କ୍ରୀଡ଼ା ଜଗତ‌ରେ ଆଲୋଡ଼ନ ସୃଷ୍ଟି କରିଛି। ସାଇନା ନିଜେ ସାମାଜିକ ଗଣମାଧ୍ୟମରେ କାଶ୍ୟପଙ୍କଠାରୁ ଅଲଗା ହୋଇଥିବା ସୂଚନା ଦେଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ଆଦୌ ବିଶ୍ବାସ କରିପାରୁନାହାନ୍ତି। କାହିଁକି ଏବଂ କେଉଁ ପରିସ୍ଥିତିରେ ଗତ ୨୦ବର୍ଷ ହେବ ଏକାଠି ଥିବା ସାଇନା ଓ କାଶ୍ୟପ ପରସ୍ପରକୁ ଛାଡ଼ପତ୍ର ଦେଲେ, ସେ ପ୍ରଶ୍ନ ସମସ୍ତେ ପଚାରୁଛନ୍ତି। ୩୫ ବର୍ଷୀୟା ସାଇନା ରବିବାର ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିବା ଚାରିଧାଡ଼ିଆ ବିବୃତିରେ ଲେଖିଥିଲେ, କେବେ କେବେ ଜୀବନ ଆମକୁ ଭିନ୍ନ ଭିନ୍ନ ଦିଗକୁ ନେଇଥାଏ।

ବହୁତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ କାଶ୍ୟପ ପୁରୁପଲ୍ଲୀ ଏବଂ ମୁଁ ଅଲଗା ହୋଇଯିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏବେ ନିଜ ଓ ପରସ୍ପର ପାଇଁ ଶାନ୍ତି, ଉନ୍ନତି ଓ ଆରୋଗ୍ୟ ସନ୍ଧାନରେ ରହିଛୁ। 
୩୮ ବର୍ଷୀୟ କାଶ୍ୟପ କିନ୍ତୁ ଏହି ଅପ୍ରତ୍ୟାଶିତ ବିଚ୍ଛେଦକୁ ନେଇ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ସୂଚନାଯୋଗ୍ୟ ଯେ ୨୦୦୪ରେ ଏକ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଥର ପାଇଁ ଭେଟାଭେଟି ହୋଇଥିବା ସାଇନା ଓ କାଶ୍ୟପ ପ୍ରଥମେ ପରସ୍ପରର ଭଲ ବନ୍ଧୁ ଥିଲେ। ୨୦୦୫ ମସିହାରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ। ୧୩ବର୍ଷ କାଳ ପ୍ରେମ ସଂପର୍କରେ ରହିବା ପରେ ୨୦୧୮ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ଏହି ବିବାହ ମାତ୍ର ୭ ବର୍ଷ ତିଷ୍ଠି ପାରିଛି।

Leave a Reply

Your email address will not be published. Required fields are marked *